Unknown

 

 

 

 

 

 

 

 

 

 

 

ବନ୍ଧୁର ବିଳାପ

ଶ୍ରୀ ଅଂଶୁମାନ ଦାସ

 

ଉତ୍ସର୍ଗପତ୍ର

 

ପରମ ପ୍ରେମାପଦ ଅଭିନ୍ନହୃଦୟ ସୋଦରପ୍ରତିମ ବାବୁ ଶ୍ରୀନୀଳକଣ୍ଠ ପୂଝାରି ବିଃ ଏଃ ଚିରଜୀବେଷୁ ।

 

ଭାଇ ହେ ।

 

ଏକଜନନୀ ଜଠରୁ ଜନ୍ମିଥିଲ ବୋଲି ତୁମ୍ଭେ କେବଳ ଏ ଶୋକମୟ ଘଟନାର ସମ୍ପୂର୍ଣ୍ଣ ଦୁଃଖଭାଗୀ ନୁହ । ଦୂରରେ ରହିଲେ ସୁଦ୍ଧା ମୁଁ ତୁମ୍ଭରି ଦଶାପନ୍ନ । ତୁମ୍ଭ ସୁଖ ଦୁଃଖ ଏବଂ ସମ୍ପଦ ବିପଦରେ ସହାନୁଭୂତି କରିବାଲାଗି ଅନ୍ୟଜଣେ ନିରନ୍ତର ବିଦ୍ୟମାନ; ଏହା ଜାଣିଲେ, ଭାଇ, ତୁମ୍ଭର ଟିକିଏ ସାନ୍ତ୍ଵନା ହେବ ନାହିଁକି ? “ଗତସ୍ୟ ଶୋଚନା ନାସ୍ତି”। ଏ ମର୍ମାନ୍ତିକ ଆଘାତ କଦାପି ହୃଦୟରୁ ଲିଭିଯିବ ନାହିଁ’’ ସତ୍ୟ; କିନ୍ତୁ ସଂସାର ତ ଅଛି । ସୁଯୋଗ୍ୟ ଜ୍ୟେଷ୍ଠଙ୍କର ତୁମ୍ଭଙ୍କୁ ଯୋଗ୍ୟତର କନିଷ୍ଠବୋଲି ଜାଣି ମନରେ ଏହି ଆଶା ପୋଷଣ କରିଅଛି ଯେ ସେ ସ୍ଵଦେଶ, ସ୍ଵଭାଷା, ଏବଂ ସ୍ଵଜାତି ପ୍ରତି ଅକୃତ୍ରିମ ଅନୁରାଗ ସହକାରେ ନାନା ବିଭାଗରେ ଯେଉଁ ସବୁ ସଦନୁଷ୍ଠାନ ଆରମ୍ଭ କରି ଅସମ୍ପୂର୍ଣ୍ଣ ରଖିଚାଲି ଗଲେ ତୁମ୍ଭେ ତାହା ପୂରଣ କରିବାଲାଗି ଯଥାସାଧ୍ୟ ଯତ୍ନଶୀଳ ହେବ ।

 

ଆଜି ଏହି ନିରାଶାନ୍ଧକାରର ଗଭୀର ଗର୍ଭରେ ତୁମ୍ଭେ କ୍ଷୀଣଦୀପଶିଖାତୁଲ୍ୟ ମତେ ଦେଖା ଯାଉଅଛ । ମଙ୍ଗଳମୟ ବିଧାତା ତୁମ୍ଭଙ୍କୁ ଚିରଂଜୀବୀ କରନ୍ତୁ; ଏହି ଆନ୍ତରିକ ଶୁଭାଶୀର୍ବାଦ ସହକାରେ ସୋଦରୋଚିତ ସାନ୍ତ୍ଵନାପୂର୍ବକ ଆଜି ଏ ଶୋକୋପହାର ତୁମ୍ଭ ହସ୍ତରେ ଅର୍ପଣକଲି । ଇତି ।

ତୁମ୍ଭର

ଏକାନ୍ତ ଶୁଭାକାଂକ୍ଷୀ

 

ଭୂମିକା

 

ସ୍ଵର୍ଗୀୟ ବାବୁ ଶ୍ରୀ ବୈକୁଣ୍ଠନାଥ ପୁଝାରି ମହୋଦୟ ସମ୍ବଲପୁରର ସୁପରିଚିତ ଆଦି କୃତୀସନ୍ତାନ ଥିଲେ; କେବଳ ତାହା ବୋଲି ଯେ ମୁଁ ଶୋକରେ ବ୍ୟାକୁଳ ହୋଇ ଏ କତିପୟ ପଂକ୍ତି ଲେଖିଅଛୁଁ ଏହା ନୁହେ, ସେ ମୋର ସୋଦରପ୍ରତିମ ପରମ ଆତ୍ମୀୟ ବନ୍ଧୁ ଥିଲେ, ତାଙ୍କର ଅକାଳ ମୃତ୍ୟୁରେ ସାଧାରଣ କ୍ଷତି ସଙ୍ଗେ ମୋର ବ୍ୟକ୍ତିଗତ କ୍ଷତି ଯଥେଷ୍ଟ ହୋଇଅଛି । ଯେଉଁ ମାନେ ପ୍ରକୃତ ପ୍ରେମ ପ୍ରଣୟର ବିରହ ଅନୁଭବ କରି ନାହାନ୍ତି, ବୋଧକରେ ମୋର କ୍ଷତି ସେମାନେ ସହଜରେ ଜାଣି ପାରିବେ ନାହିଁ ।

 

ସୁତାରାଂ ଏହି କତିପୟ ପଂକ୍ତି ମୋ ହୃଦୟର ନୈସର୍ଗିକ ଉଚ୍ଛ୍ଵାସ ମାତ୍ର; ମୁଁ ବାସ୍ତବରେ କବିନୁହେଁ କି ଏପରି ଘଟନାରେ କବିତ୍ଵ ଦେଖାଇବା ମୋର ପ୍ରୟାସ ନାହିଁ । ସାଧାରଣ ପାଠକମାନେ ମୋର ଏହି ଲେଖାକୁ ଏହି ଭାବରେ ଗ୍ରହଣ କଲେ କୃତକୃତ୍ୟ ହେବି ।

 

କହିବା ବାହୁଲ୍ୟ ଯେ ଇହ ଜନ୍ମରେ ମୁଁ ବୈକୁଣ୍ଠ ବାବୁଙ୍କୁ, କଦାପି ପାସୋରି ପାରିବି ନାହିଁ । ଜୀବନର ନିଭୃତକ୍ଷଣରେ କେବେ ନିକାଞ୍ଚନ୍ନରେ ବସିବାର ସୁବିଧା ମିଳିଲେ ବୈକୁଣ୍ଡବାବୁଙ୍କ ଆକୃତି ପ୍ରକୃତି ମୋ ଆଖିରେ ଅବିରଳ ନାଚିବ; ସେ ସମୟରେ ହଠାତ କାନ୍ଦି ଉଠିବା ସ୍ଵାଭାବିକ ।

 

ଲେଖକ

ବନ୍ଧୁର ବିଳାପ

 

ବନ୍ଧୁର ବିଳାପ

 

(୧)

 

କାନ୍ଦଇ ସମ୍ବଲପୁର, କାନ୍ଦେ ମହାନଦୀ

କାନ୍ଦୁଛନ୍ତି ନରନାରୀ ଶୋକେ ନିରବଧି

।।

ଉଦିଛି ପ୍ରଚଣ୍ଡ ରବି, ଦିଶଇ ଅନ୍ଧାର

ରାବୁଛି ମଧୁରେ ପକ୍ଷୀ, କାନକୁ କୁଠାର

।।

ଚହଟେ ସୁମନ ଗନ୍ଧ ଘ୍ରାଣକୁ ବିଷମ

ଶାରଦ ନିଶାରେ ହୃଏ ଦାବାନଳ ଭ୍ରମ

।।

ବହଇ ଶୀତଳ ବାୟୁ ଶୁଖାଏ ଶୋଣିତ

କେ କହି ପାରବ କିମ୍ପା ଏହି ବିପରୀତ

।।

ବହୁ ଶ୍ରମେ ସାର ଦେଇ ବିଲକୁ ସଜାଡ଼ି

ଝାଳ ସଙ୍ଗେ ରକ୍ତ ବିନ୍ଦୁ ଦେଇଣ ଅଜାଡ଼ି

।।

କରିଥିଲା ବହୁ” ଶସ୍ୟ କୃଷକ ସଞ୍ଚୟ

ବାନ୍ଧିଥିଲା ଆଶା ସୁଖେ ଯାପିବ ସମୟ

।।

ଆସିଲା ଅକାଳ ବନ୍ୟା ପ୍ରବଳ ବେଗରେ

ଭାସିଲା କୃଷକ ଆଶା ନିରାଶା ସାଗରେ

।।

 

 

ସମ୍ବଲପୁରର ମଥାମଣି ବଇକୁଣ୍ଠ

ଦେଖୁଁ ଦେଖୁଁ ଖୋଳିନେଲା କାଳ ଦେବ ଦୁଷ୍ଟ

।।

ପ୍ରିୟୁବନ୍ଧୋ ଆଉ ବାରେ ଏପୋଡ଼ା ନୟନ

କହ ୨ ଦେଖିବକି ତବ ସୁବଦନ

।।

ତବ ସ୍ନେହପୂର୍ଣ୍ଣ ବାଣୀ ପଡ଼ି ଏ କର୍ଣ୍ଣରେ

ଚିତ୍ତ ବମୋଦିବ ନାହିଁ କିହେ ଆଉ ଥରେ

।।

କାଳର କୁଟିଳା ଗତି ଜାଣିଥିଲେ ଲବେ

ବିଦାୟ ସକାଶେ ଭାଇ ଭେଟି ଥାନ୍ତି ଜବେ

।।

ଉଚ୍ଚ ଶିକ୍ଷା ଲଭିବାର ଏହି କହେ ଫଳ

ଏଥି ପାଇଁ ଲୋଡ଼ା କିହେ ପ୍ରାଣେ ନବବଳ ?

।।

ରାଜଦରବାରେ ଲଭିଥିଲ ଉଚ୍ଚାସନ

ନୋହିଥାନ୍ତା ଉଚ୍ଚାସନ ଥାଅନ୍ତା ଜୀବନ

।।

ଦେଶ ଭାଇଗଣେ କିଏ ଦେଖାଇବ ପଥ

କିଏ ଦେଶହିତ ଅର୍ଥେ ଚିନ୍ତିବ ସତତ

।।

ଜାତୀୟ-ଉନ୍ନତି-ଯଜ୍ଞେ ଆହୁତି ଛଳରେ

ଅପିଲା କି ମାତୃ ଭୂମି କା ଜ୍ୟେଷ୍ଠ କୁମରେ

।।

 

 

ବସି ପାର୍ଶ୍ୱେ ବିଲପନ୍ତି ଅଧୀରା ଜନନୀ

ମୁଞ୍ଚନ୍ତି, ଲୋତକ ପିତା ଚାହିଁଣ ଅବନୀ

।।

ତବ ସଙ୍ଗେ ପିଇଥିଲେ ଯେହୁ ଏକସ୍ତନ୍ୟ

କାହୁଛନ୍ତି ମୃଦୁପ୍ରାଣ ତବ ଭାଇଗଣ

।।

ନ କହ ଜନନୀ ଛାତି କର ଗୋ ପଥର

ବିଧିର ବିଧାନ ଏହି, ନୁହ ଗୋ କାତର

।।

କାନ୍ଦିଲେ କି ପାଇବ ଗୋ ଆଉ ସେ କୁମର

ଆନ ପୁତ୍ରଗଣେ ଦେଖି ମନ ଥୟ କର

।।

ନ ଶୁଣନ୍ତି ମୋର କଥା ତବ ଭାଇଗଣ

ଢାଳିଥିଲେ ତବଠାରେ ଯେଣୁ ପ୍ରାଣ ମନ

।।

ଉଠ ବନ୍ଧୋ ବାରେ ଭାଷି ମଧୁର ବଚନ

ପ୍ରାଣେ ତାଙ୍କ ଶାନ୍ତି-ବାରି କର ବରଷଣ

।।

 

 

ଧନ୍ୟ ତାତ, ଧନ୍ୟ ବଇକୁଣ୍ଠ ଜନ୍ମଦାତା

କି କରିବ, ତବସଙ୍ଗେ ବାଦକଲା ଧାତା

।।

ଭବେ ପିତା ହେବା ଇଚ୍ଛା ନ ଥାଏ କାହାର

ବୁଝିଥାନ୍ତି କେତେ ଜଣ କର୍ତ୍ତବ୍ୟ ପିତାର ?

।।

ଚାଲିଲେ ସକଳେ ତବ ପଥ ଅନୁସରି

ମାତୃଭୂମି ଦୁଃଖ ଶୀଘ୍ର ଯାନ୍ତା ଅପସରି

।।

ତବ ଯୋଗ୍ୟ ସୁତ ଗୁଣେ ତୁମ୍ଭେ ଯଶୋବାନ

ଶୋକ ପରିହର ତାତ ନୂହ ହେ ଅଜାଣ

।।

ଶୋକ ନାଶକରେ ବୁଦ୍ଧ, ବିଦ୍ୟା ନାଶଯାଏ

ଦମ୍ଭହରା ଶୋକେ ନର ପାଗଳ ପରାଏ

।।

ହେଉ ଜାଣିବାର ଜନ, ହେଉ କେତେ ଟାଣ

ଶୋକର ଭଉଁରି ଦୃଢ଼େ ଆଲୋଡ଼େ ପରାଣ

।।

ଦେଉ ନାହିଁ ଉପଦେଶ କରୁ ଛୁଁ ବିନତି

ତବ ସୁତସମ ଜାଣ ଏ ଚପଳ ମତି

।।

 

 

ଭବମନେ ମନ ଯେହୁ ତବପ୍ରାଣେ ପ୍ରାଣ

ଅଶୋକ ବିଶାଳ ଅଙ୍ଗେ ମାଧବୀ ସମାନ

।।

ନିବିଡ଼େ କଡ଼ାଇଥିଲେ, ସେ ମନୋହାରିଣୀ

ବିଳପନ୍ତି ଯଥା ଯୂଥ-ପ୍ରଭ୍ରଷ୍ମା ହରିଣୀ

।।

ଲିଭିଛି ସିନ୍ଦୂର ବିନ୍ଦୁ, ଶୁଖିଛି ବଦଳ

ଫିଟିଛି କବରୀ, ଅଙ୍ଗୂ, ଖସିଛି ବସନ

।।

ଥରହରେ କମ୍ପୁ, ଅଛି ମୃଦୁ ଅପଘନ

ବିଦାରନ୍ତି ବକ୍ଷସ୍ଥଳ କମ୍ପାଇ ଗଗନ

।।

ହା ମାତଃ ବସୁଧେ ! ଭୂତ-ଧାତ୍ରୀ ତବ ନାମ

ତବକୋଳେ ଏ ଦୁଃଖିନୀ ଲଭନ୍ତୁ ବିଶ୍ରାମ

।।

ଧୂଳି ଧୂସରିତ ଅଙ୍ଗ ତୋଳ ବନ୍ଧୁବର

କେବେ ଦେଖାଥିଲା କିହେ ଏ ରୀତି ତୁମ୍ଭର

।।

ତୁମ୍ଭେ ପିତା, ତୁମ୍ଭେ ମାତା, ସୋଦରା, ସୋଦର

ତୁମ୍ଭେ ପରାରାଧ୍ୟ ଦେବ ତାହାଙ୍କ ଈଶ୍ୱର

।।

ତୁମ୍ଭେ ତାଙ୍କ ଧର୍ମ, କର୍ମ, ଯପ, ତପ, ଦାନ

ତବ ଭିନ୍ନ ଏ ଜଗତେ ନ ଜାଣନ୍ତି ଆନ

।।

କେମନ୍ତେ ବଞ୍ଚିବେ ସେହି କା ମୁଖ ଅନାଇଁ

ତବ ଭିନ୍ନ ପ୍ରତିମୂର୍ତ୍ତି ରଖି ନ ଗଲ ତ ଭାଇ

।।

କଠୋର ବୈଧବ୍ୟ ବ୍ରତ ହାୟରେ ପାମର

ଛିଣ୍ଡି ଯାଉନାହିଁ ତୋର ଜିହ୍ଵାରେ ସତ୍ଵର

।।

କଠୋର ବୈଧବ୍ୟ ବ୍ରତ କେମନ୍ତେ ପାଳିବେ

ହୃଦୟ ବେଦନା ଖୋଲି କା ଆଙ୍ଗେ କହିବେ

।।

 

 

ବନ୍ଧୁ, ହେ ! ଜଗତ ପ୍ରତି ସକଳ ମମତା

ତୁଟି ଯାଇଛି କି ତବ, କେ ଦେବ ବାରାତା

।।

ଏ ମହୀ ନିବିଡ଼େ ବନ୍ଧା ସ୍ମରଗ ସଙ୍ଗରେ

ତେବେ କିମ୍ପା ଏ ନିରାଶା ଜାଗେ ମୋ ପ୍ରାଣରେ

।।

ପ୍ରେରୁଛ କୋମଳ ଦୃଷ୍ଟି ନ ଦେଖେ ନୟନ

ଭାଷୁଛ ପ୍ରବୋଧ ବାଣୀ ନଶୁଣେ ଶ୍ରବଣ

।।

ଅତି ଜଡ଼ ମୋ ନୟନ, ଜଡ଼ ମୋ ଶ୍ରବଣ

ଜଡ଼ତା ଅଟଇ ସିନା ମୋହର କାରଣ

।।

 

 

ଧନ୍ୟ ଗୋ ଭଗିନୀ ତୁମ୍ଭେ ଏମହୀମଣ୍ଡଳେ

ଲଭିଥିଲେ ଯୋଗ୍ୟପତି କେଉଁ ପୁଣ୍ୟଫଳେ

।।

ଭାଗ୍ୟର ଗରିମା ତବ କେତେ ନାରୀଙ୍କର

ହରି ନେଇଥିବ ଦମ୍ଭ, ତାହାଙ୍କୁ ଗୋଚର

।।

କରିଥିଲ ପରା ଆଶା କରିବ ଯାପନ

ପ୍ରାଣନାଥ ସଙ୍ଗେ ଥିବାଯାଏ ଜୀବନ

।।

ମଣ୍ଡି ଥାନ୍ତେ ପ୍ରାଣନାଥ ଶ୍ରୀକର କମଳେ

ଅନ୍ତ୍ୟେଷ୍ଠିର ଆଭରଣ ଅତି ଯତନରେ

।।

ହାୟରେ ବିଧାତା ହାୟ ତୋ ବିବେକପଣ

ସେ ଆଶା ପାଦପ ମୂଳୁ କଲୁରେ ଛେଦନ

।।

ଚିର ଉପବାସୀ ଯଥା ଲଭିଲେ ଭୋଜନ

ତାଣ୍ଡେ ନେଇ ତୁଣ୍ଡେ ଭରେ ହୋଇ ଏକମନ

।।

ସୁଦୀର୍ଘ ବିଚ୍ଛେଦ ପରେ ହେବାରୁ ମିଳିତ

ପୂର୍ବ ପୂଣ୍ୟଫଳ ଭୋଗି ନେଲ କି ତୁରିତ ?

।।

ପୂଣ୍ୟର ଭଣ୍ଡାର ତବ ଅତି ଅଳ୍ପ ଯେଣୁ

ଶେଷ ହୋଇଗଲା ଅବା ଏତେ ଶୀଘ୍ର ତେଣୁ

।।

 

 

ନା,ନା, ସରିନାହିଁ ସତି ! ତୁମ୍ଭର ଭକତି

କଷିବାକୁ କଷଟିରେ ବଳାଇଣ ମତି

।।

ଦିବ୍ୟରୂପେ ପ୍ରାଣନାଥ ତବ ନିକଟରେ

ରହିଛନ୍ତି, ଦେଖିବ ଗୋ ସତୀତ୍ଵ ବଳରେ

।।

କାନ୍ଦନା ଭଗିନି ! ମୋର କାନ୍ଦନା ଗୋ ଆଉ

କ୍ରନ୍ଦନ ଶୁଣିଲେ ହୃଦ କରେ ଦାଉ ଦାଉ

।।

ମୋ ବସନେ ପୋଛ ଦେବ ତବ ଅଶ୍ରୁଜଳ

ଦିଅ ଅନୁମତି, ମୋର ହୃଦୟ ବିକଳ

।।

ଏକ ପ୍ରାଣେ, ଏକଧ୍ୟାନେ, ଏକମନେ, ସତି

ପ୍ରାଣନାଥ ପଦତଳେ କର ଗୋ ଭକତି

।।

ସର୍ବଦୁଃଖହାରୀ ବିଭୁ ଅଭୟ ଚରଣେ

ପତିଭକ୍ତି ଭିକ୍ଷାକର ଅକପଟେ ମନେ

।।

ଯୁଗେ ଯୁଗେ ଲଭୁଥିବ ପ୍ରାଣନାଥ ପଦ

ଆଦରିବେ ପ୍ରାଣନାଥ ମନେ ବହି ସଧ

।।

 

 

ମାଟିର ଏ ଦେହ ତବ ମାଟିରେ ମିଶିଛି

ବମା ତେଜି ପନ୍ଧିବର ଉଡ଼ିଣ ଯାଇଛି

।।

ମିଶିଅଛି ଆତ୍ମା କିନ୍ତୁ ବିଶ୍ଵଆତ୍ମା ସଙ୍ଗେ

ମିଶେ ଯଥା ମହାନଦୀ ଅନନ୍ତ ତରଙ୍ଗେ

।।

ପ୍ରବିଚୀ ଲଲାଟ ଦେଶେ ସିନ୍ଦୂର ପରାଏ

ଅସ୍ତଗାମୀ ଦିନମଣି ଯେବେ ଶୋଭାପଏ

।।

ନାନାଦେଶୁଁ ପକ୍ଷିଗଣ ଅସି କଳରବେ

ଏକଇ ବୃକ୍ଷରେ ନିଶା ଯାପନ୍ତି ସରବେ

।।

ପ୍ରାତେ ଚାଲିଯାନ୍ତି ଯେଝା ଦିଗ ଅନୁସରି

ସଂସାରର ଭେଟା ଭେଟି ସିନା ଏହିପରି

।।

ଦେଖା ମୋର ତବ ସଙ୍ଗେ ଏ ମରଭବନେ

ହେଉ ନାହିଁ ତେଣୁ ଥିବାଯାଏ ଏ ଜୀବନେ

।।

ବନ୍ଧୁ ହେ ! କରିଛ ଆଶା ମୋର ହୃଦଗତେ

ସ୍ଵରଗ ସୁଖରେ ମlତି ନ ଭୁଲିବ ମୋତେ

।।

ସୁଖେ ସେ ଥାଅ, ବି ଅଭୟ ଚରଣ

ଢାଲୁଥାଅଁ ଆମ୍ଭ ଶିରେ ଆଶିଷ ବଚନ

।।

ମାଗୁଛିଁ ମେଲାଣି ବନ୍ଧୋ ଦିଅ ହେ ହରଷେ

ଜାଗିଥାଉ ତବ ସ୍ମୃତି ଏ ମୋର ମାନସେ

।।

ଏତିକି ମାଗୁଣି ବନ୍ଧୋ ! ବେଳେ ୨ ଅସି

ଯାଉଥିବ ନିଜଧାମେ ଅଧମେ ଆଶ୍ଵାସି

।।

 

୧୦

 

ସୁଖପରେ ଆସେ ଦୁଃଖ ଦୁଃଖ ପରେ ସୁଖ

ତେବେ କିମ୍ପା ଅଜ୍ଞାନର ହୁଅଇ ବିମୁଖ।

।।

କରୁଣାସାଗର ବିଭୋ ! ଦୁଃଖ ବିନାଶନ

ସେ କରୁଣା ଲେଶ ପାଇଁ ନୁହେ କି ଭାଜନ

।।

ମୋ ଜନମ ଭୂମି ! ଆହା ସେ ଚିରଦୁଖିଃନୀ

କେଉଁ ପାପ ଫଳେ ?ପାପ ଛେଦ ଚକ୍ରପାଣି

।।

ଦେଲ ଯାହା ନେଲ ତାହା ଏଥକୁ କିପାଇଁ

ମହାଦାନୀ ବୋଲାଉଛ ଆହେ ଭାବଗ୍ରାହୀ

।।

ଦୁଃଖ ଅନ୍ତ ରୂପେ ସୁଖ ମିଳୁଥାନ୍ତା ଯେବେ

ତବ ଦାତା ପଣ ସିନା ଶୋଭା ପାନ୍ତା ତେବେ

।।

ହରି ହେ ! ଅପାର ତବ ମହିମ। ବାରିଧି

ବୁଝିବାକୁ ସେ ମହିମା କାହିଁ ମୋର ସିଦ୍ଧି

।।

କି ରଖିଛି ନର ଭାଗ୍ୟେ ଭବିଷ୍ୟ ଘୋଡ଼ାଇ

ଜାଣି ପାରୁଥାନ୍ତା ଯେବେ ଦୁଃଖ କାହିଁ ପାଇଁ

।।

ନରର ଅଭାବ ନିଜେ ଜାଣି ସେ ନ ପାରେ

ଜାଣ ତୁମ୍ଭେ ମହାବାହୋ ! କର କୃପା ବାରେ

।।

ଦୁର୍ବଳ ମାନବ ମୂଢ଼ ଦୁର୍ବଳ ପରାଣ

ତବ ପଦେ ଚିରଦୋଷୀ, କ୍ଷମ ଆର୍ତ୍ତତ୍ରାଣ

।।

ହରି ହେ ! ଏତିକି ଭିକ୍ଷା ଅଭୟ ପୟରେ

ବିତର ଆଶ୍ରୟ ଦିବ୍ୟ ମୋର ବନ୍ଧୁବରେ

।।

ତାପିତ ପରାଣ ମମ ବନ୍ଧୁ ପରିବାର

ତବ ଶାନ୍ତିସୁଧା-ଝରି ଶିରେ ତାଙ୍କୁ ଢାଳ

।।

 

କଟକ

ଶ୍ରୀ ବାଲୁଙ୍କେଶ୍ଵର ମିଶ୍ର ବି,

ତା ୨୨।୧୦।୧୯୦୩

ସମ୍ବଲପୁର

Image